Unknown

 

 

 

 

 

 

 

 

 

ପୁରୁଷୋତ୍ତମ ସାଗର

ଶ୍ରୀ ଶ୍ରୀ ଶ୍ରୀ ଗୋପୀନାଥ ହରିଚନ୍ଦନ ଜଗଦ୍ଦେବ ରାଜବାହାଦ୍ଦର

 

ଉତ୍ସର୍ଗପତ୍ର

 

ବାତ୍ସଲ୍ୟ ଜନମଭୂମି ଜନମ କାରଣ

 

ଅସାର ସଂସାର ମଧ୍ୟେ ସର୍ବସାର ଧନ

।୧।

ଜୀବନ ବିକାଶ ହେତୁ ମୃତସଞ୍ଜୀବନୀ

 

ଅମରମୟ ଶରୀର ପୋଷଣ କାରଣୀ

।୨।

ଜନନି ଗୋ ! କରିଥିଲ କେଡ଼େ ସମାଦର

 

ଦେଉଥିଲ ଉପଦେଶ ସଦା ଶୁଭକର

।୩।

ନାଶୁଥିଲ ଦୁଃଖମୟ ସାଂସାରିକ ଦୁଃଖ

 

ତୁମ୍ଭ ବାଣୀ ଆକର୍ଣ୍ଣନେ ହେଉଥିଲା ସୁଖ

।୪।

ଜାଣୁଥିଲ ଆମ୍ଭର ଗୋ ! ଅନ୍ତର ବେଦନା

 

ପୂର୍ଣ୍ଣ କରି ଦେଉଥିଲ ସନ୍ତତ ବାସନା

।୫।

ଛିଣ୍ଡାଇ ସେ ମାୟା ମୋହ ଜାଣି ଅନିତ୍ୟତା

 

ବଢ଼ାଇଲ ପାଇବାରେ ମତି ଅମରତା

।୬।

ଚାଲିଗଲ ନିତ୍ୟଧାମେ ନିତ୍ୟସୁଖ ଆଶେ

 

ତେଜିଣ ମମତା ପତି ସୂତ ବିତ୍ତ ବାସେ

।୭।

ତୁମ୍ଭରି ବିହୁନେ ମାତଃ ! ସାରା ଧରାତଳେ

 

ମାତୃ ସମ୍ବୋଧନେ ଆମ୍ଭେ ବଞ୍ଚିତ ବିକଳେ

।୮।

ସୁତ ବା ମାତାର କାହିଁ ହେବ ଋଣମୁକ୍ତ

 

ହେଉଚି ସେ ଘେନି ତୁମ୍ଭ ପାଦେ କୃତକୃତ୍ୟ

।୯।

ଭକ୍ତିଭରେ ବର୍ଣ୍ଣମୟ ଏହି ପୁଷ୍ପାଞ୍ଜଳ

 

ମାତଃ ! ତବ ପଦକଞ୍ଜେ ନିଜ ବୁଦ୍ଧିଭଳି

।୧୦।

ଅର୍ପୁଛି ଗ୍ରହଣ କର ଏ ପୁସ୍ତିକା ଆଜି

 

ତବ ପୂତ ନାମାଙ୍କନେ ଥାଉ ସଦା ରାଜି।

୧୧।

 

ଟିକିଲି-ରାଜପ୍ରସାଦ

ଛାମୁଙ୍କ

୨୩।୪।୨୮

ଶ୍ରୀ ଗୋପୀନାଥ ଦେବ

 

ମନ୍ତବ୍ୟ

 

ଟିକିଲି ରାଜକୁମାର ଶ୍ରୀଯୁକ୍ତ ଗୋପୀନାଥ ଦେବ ମହୋଦୟଙ୍କ ପ୍ରଣୀତ ‘‘ପୁରୁଷୋତ୍ତମ ସାଗର’’ ନାମକ କବିତା ପାଠକରି ମୁଁ ପ୍ରୀତି ଲାଭ କରିଅଛି । ଗଞ୍ଜାମର ରାଜକୁଳ ବାଣୀଆରାଧନାରେ ଚିରପ୍ରସିଦ୍ଧ । ଶ୍ରୀମାନ୍‌ ଗୋପୀନାଥ ଦେବ ଏହି ପଦ୍ୟ ରଚନାର ସ୍ଥାନେ ସ୍ଥାନେ ଯେଉଁ କବିତ୍ୱଛଟା ଦେଖାଇଅଛନ୍ତି ତହିଁରେ ମୋର ମନ ରଞ୍ଜିତ ହୋଇଅଛି । ମୋର ଆଶା ଯେ ସେ ନିୟମିତ ଭାବରେ ଚେଷ୍ଟା କଲେ କୋମଳହୃଦୟ ଉତ୍କଳ-ଭାରତୀଙ୍କର ପ୍ରସାଦ ଲାଭକରି ଯଶସ୍ୱୀ ହୋଇପାରିବେ ।ଇତି।

 

ପଦ୍ମପୁର

ଶ୍ରୀ ଗଙ୍ଗାଧର ମେହେର

ତା୧୪।୯।୧୯୧୯

 

 

ବିଜ୍ଞପ୍ତି

 

ଏକଦା କୌତୁକାବିଷ୍ଟ ଚିତ୍ତରେ ଆମୋଦ ପ୍ରମୋଦାର୍ଥ କେତେକ ସହଚରଙ୍କ ସହ ଏହି ସୁରମ୍ୟ ସରୋବରର ସୁବିଶାଳ ବନ୍ଧପରେ ଇତସ୍ତତଃ ଭ୍ରମଣ କରୁଥିବାବେଳେ ଅନ୍ୟାନ୍ୟଙ୍କ କର୍ତ୍ତୃକ ଏହି ସରସୀ ସମ୍ବନ୍ଧୀୟ ଆଂଶିକ ପ୍ରଶଂସା ଶ୍ରବଣରେ ସେହି ଅତୀତସ୍ମୃତି ମୋର ହୃଦୟ ମଧ୍ୟରେ ହଠାତ୍‌ ଉଦ୍ବୋଧିତ ହେଲା । ପରେ ଏହାର ସର୍ବାଂଶ ସୌଷ୍ଠବ ସମ୍ପାଦକ ବିଷୟଗୁଡ଼ିକ କ୍ରମବିକାଶଧାରଣ ପୂର୍ବକ ମୋହନମୟୀ ମାଧୁର୍ଯ୍ୟଧାରାରେ କ୍ରମଶଃ ମଦୀୟ ଅନ୍ତରାତ୍ମାକୁ ଅଭିଷିକ୍ତ କରିଥିଲା; ଏବଂ ଯାହା ନେଇ ପରମାନନ୍ଦାନୁଭୂତି କିଛି ସମୟ ସ୍ଥାୟିନୀ ହୋଇଥିଲା ସେହି ବିଷୟ ଗୁଡ଼ିକୁ ସର୍ବସାଧାରଣଙ୍କ ସମ୍ମୁଖରେ ଉପନୀତ କରାଇବା ବିଷୟରେ ମୋର ଶ୍ରଦ୍ଧା ପ୍ରବଳି ଥିଲାରୁ ଏହି ରଚିତ ପଦ୍ୟୁଟି ପୁସ୍ତିକାକାରରେ ପ୍ରକାଶ କଲି ।

 

କବି-ଶିରୋମଣି ଶ୍ରୀଯୁକ୍ତ ଗଙ୍ଗାଧର ମେହେର ମହାଶୟ ଅଶେଷ ଶ୍ରମସ୍ୱୀକୃତିପୂର୍ବକ ଏହାର ସଂଶୋଧନ କରି ଉତ୍ସାହିତ କରିଥିବାରୁ ମୁଁ ତାହାଙ୍କଦ୍ୱାରା ସବିଶେଷ ଉପକୃତ ହୋଇଅଛି-। ବୋଧ କରେ ପାଠକେ ଏହା ପାଠକରି ମୋର ଶ୍ରମ ସଫଳ କରିବେ । ଇତି ।

 

ରଚୟିତା

 

ପୁରୁଷୋତ୍ତମ ସାଗର

ରାଗ-ମଙ୍ଗଳ

 

ଆହା କେଡ଼େ ମନୋହର ଦିଶୁ ସରୋବର !

 

ଦର୍ଶନେ ହରଷ ଜନ୍ମେ ଚିତ୍ତରେ ସତ୍ୱର

।୧।

ବିଶାଳ-ଗଭୀର-ଗର୍ଭ-ଗହ୍ୱର ତୋହର

 

ନିର୍ମଳ-ସଲିଳେ ପୂର୍ଣ୍ଣ, ଯେସନେ ସାଗର

।୨।

ହଂସକୁଳ ବସି କୂଳେ ବରଟା ସଙ୍ଗତେ

 

କରନ୍ତି ମଧୁରତର ସଙ୍ଗୀତ ସନ୍ତତେ

।୩।

ଚକ୍ରାକାର ଗତିକରି ସଲିଳ ଉପରେ

 

ସଲୀଳେ ଝାମ୍ପଇ ମତ୍ସ୍ୟ ମାଛରଙ୍କା ତ୍ୱରେ

।୪।

ପାଣିକୁଆ ପୁଣ ଅତି ହରଷଚିତ୍ତରେ

 

ଉଠୁଥାଏ ବୁଡ଼ୁଥାଏ ସଲିଳ ଭିତରେ

।୫।

ବହୁବିଧ ଜଳଚର ପକ୍ଷୀ କଳକଳ

 

କୂଳସ୍ଥିତ ନରନାରୀ ମୋହେ ଅବିକଳ

।୬।

କେ ଭାସନ୍ତି କେ ଉଡ଼ନ୍ତି କେବା ସନ୍ତରଣ-

 

ବିହାରେ ଅଛନ୍ତି ମାତି ହୋଇ ଦୁଷ୍ଟମନ

।୭।

ଧୀବରେ ନିଷ୍ପନ୍ଦେ ମନୋନୟନ ନିବେଶି

 

ନିଃଶବ୍ଦ ନିଶ୍ଚଳଭାବେ ତୀରେ ଉପବେଶି

।୮।

(ସୁସ୍ଥିର ହୃଦୟେ ରଖି ଶାନ୍ତି ଅବିରତ,

 

ଯଥା ଯୋଗିଗଣ ଯୋଗଧ୍ୟାନରେ ନିରତ)

।୯।

ଥରେ ଥରେ ଲାଠି ଯଷ୍ଟି ଝିଙ୍କନ୍ତି ସତ୍ୱରେ

 

ମୀନ ତହିଁ ଥାଏ ଲାଗି କମ୍ପି ଭୟଭରେ

।୧୦।

(ଅପଟୁ ବାଳକ ଜ୍ଞାନେ ଦୁର୍ନୀତି ଯେସନ)

 

ତାହା ଦେଖି ଆନନ୍ଦିତ ଧୀବରର ମନ

।୧୧।

ବାଳଗଣ କ୍ଷୁଦ୍ରତରୀ କ୍ଷେପଣୀର ବଳେ

 

ଚଳାନ୍ତେ ଉଡ଼ିଣଯାନ୍ତି ବିହଙ୍ଗ ସକଳେ

।୧୨।

ନଳିନୀ ବଲ୍ଲରୀଦଳ ଦେଖି ମନୋରମ

 

ଢୋଳି କେ କରିଣ ଛତ୍ର ହୋନ୍ତି ହତଶ୍ରମ

।୧୩।

ତାପସ ହୃଦୟ ପ୍ରାୟେ ତୋ ଜଳ ନିର୍ମଳ

 

ପୁତ୍ର ଆଲିଙ୍ଗନ ବତ ଅତ୍ୟନ୍ତ ଶୀତଳ

।୧୪।

ଶିଶୁଙ୍କ ଜଳ୍ପନ ତୁଲ୍ୟ ନିତାନ୍ତ ମଧୁର

 

ପାନେ ତୃଷା ସ୍ନାନେ ତନୁତାପ ହୁଏ ଦୂର

।୧୫।

ପୁଣ୍ଡରୀକ ବଲ୍ଲୀ ଦଳେ ରଖି ଜଳରାଶି

 

ପିଉଛନ୍ତି କେଉଁମାନେ ମୋଦଭରେ ଭାଷି

।୧୬।

ବହୁବିଧ ହାସ୍ୟରସ ଜନକ ସଙ୍ଗୀତ

 

ନାନା ରାଗରାଗିଣୀରେ କରୁଥାନ୍ତି ଗୀତ

।୧୭।

ଗଣ୍ଡୂଷ ସଲିଳ ରବିମୁଖେ ନିକ୍ଷେପନ୍ତି

 

ତହିଁ ଜାତ ଇନ୍ଦ୍ରଧନୁ ହରଷେ ଦେଖନ୍ତି

।୧୮।

କେ ପୁଣି ଜଳଜ ଭାଙ୍ଗି ଅପର ଉପରେ

 

ଫିଙ୍ଗିଣ ଖେଳନ୍ତି ଚଢ଼ି ଆମୋଦ-ସ୍ତୂପରେ

।୧୯।

ଜଳେ କେତେଜଣ ପୁଣି କରି ସନ୍ତରଣ

 

ହର୍ଷ ମୁଖେ କରୁଥାନ୍ତି ହରି ସଂକୀର୍ତ୍ତନ

।୨୦।

ସନ୍ତରଣ ଭଙ୍ଗିମାନ ଦେଖାଇବା ପାଇଁ

 

କେହି କେହି ଆଗଭରେ ଯାଉଥାନ୍ତି ଧାଇଁ

।୨୧।

କେତେ ବା ତରୁଣ ଥାଇ ତରୀ ଆରୋହଣେ

 

କଉତୁକେ ଲାଗିଛନ୍ତି କଞ୍ଜ ସଂଗ୍ରହଣେ

।୨୨।

ତରୀଜଳ ଉତ୍‍କ୍ଷେପଣେ ଲାଗିଥାଏ କେହି

 

ନିଜକାର୍ଯ୍ୟ ଶେଷେ ଜଳେ ମୋଦେ ପଡ଼େ ଡେଇଁ

।୨୩।

ଚିତ୍ର-ବିଚିତ୍ରିତ କୂର୍ମ-କୁଳ ଠାଏ ଠାଏ

 

ଖେଳୁଛନ୍ତି ମୁଣ୍ଡ ଟେକି ଲୁକାୟିତ କାୟେ

।୨୪।

ବିବିଧ ସଲିଳଚର ମୋଦଭରେ ମାତି

 

ଯାପନ୍ତି ସହଜେ ପୁଣି ନିଜେ ଦିବାରାତି

।୨୫।

କରି ଜଳଚରଙ୍କର କ୍ରୀଡ଼ା ବିରଚିତ

 

ସରୋବର ଦୃଶ୍ୟରୂପେ ଲୋକେ ପରିଚିତ

।୨୬।

ସହସ୍ର ସହସ୍ର ଫୁଲ ଶ୍ୱେତ ଶତଦଳ

 

ମତ୍ତ ଭୃଙ୍ଗଗଣ ତହିଁ ଛନ୍ତି ଅବିରଳ

।୨୭।

ଅମୃତ ସୁସ୍ୱାଦୁ ତାର ମକରନ୍ଦ ପାନ-

 

ଅଭିଳାଷେ ଅବିରତେ ହୋଇ ମୋଦମନ

।୨୮।

ସରୋବର ତେଣୁ ଏବେ ସହସ୍ର ନୟନ

 

କରିବ କି ପ୍ରକୃତିର ଶୋଭା ସନ୍ଦଶନ

।୨୯।

କି ଅବା ମଧୁପେ ମଧୁପାନେ ହୋଇ ଭୋଳ

 

ଗାଆନ୍ତି ଉନ୍ମାଦେ ଗୀତ କରି ତହିଁ ଗୋଳ

।୩୦।

କି ଅବା କମଳାଦେବୀ ବିାହର ଭବନ-

 

ମୁଦ୍ରଣ କୁଞ୍ଚିକା କରେ ହର୍ଷେ ଉନ୍ମୋଚନା

।୩୧।

ତେଣୁ ସୁମଞ୍ଜୁଳ ଧ୍ୱନି ହୁଏ ଉତପନ୍ନ

 

ଚଞ୍ଚଳ ଭ୍ରମର ରାବ ଛଳେ, ହୁଏ ମନ

।୩୨।

ବିଜେ ହେବେ ପରା ଏବେ ମୁକୁନ୍ଦ ମୋହିନୀ

 

ଅଶେଷ ବ୍ରହ୍ମାଣ୍ଡ ଜନ ତୃପତି-ଦାୟିନୀ

।୩୩।

ତେଣୁ ମଧ୍ୟେ ସଜ୍ଜା ହୋଇ ରତ୍ନ ସିଂହାସନ

 

ରହିଛି କିଞ୍ଜଳ୍କ ଛଳେ ଦର୍ଶକ ମୋହନ

।୩୪।

ସେ ଭୁବନ ପୁରତରେ ଭୃଙ୍ଗ ଭୃଙ୍ଗୀ ରାବ

 

ବହିଛି ମଙ୍ଗଳ କମ୍ବୁ ନିନାଦର ଭାବ

।୩୫।

କୋକନଦ ନୀଳୋତ୍ପଳ କହ୍ଲାର କୈରବ

 

ମେଲିଛନ୍ତି ନିଜ ନିଜ ସୁଷମା ବିଭବ

।୩୬।

(କୃଷ୍ଣପକ୍ଷ ରାତ୍ରେ ଯଥା ଅନନ୍ତ ଗଗନ)

 

ତାରାବଳି ଖଞ୍ଜି ଦିଶେ ଅତ୍ୟନ୍ତ ଶୋଭନ)

।୩୭।

ସ୍ୱୟମ୍ଭୁ ପର୍ଯଙ୍କ ତୁଲ ଶତଦଳକୁଳ

 

ବିକଶି ବିକଶୁଛନ୍ତି ମାଧୁର୍ଯ୍ୟ ଅତୁଳ

।୩୮।

ରମଣୀୟ ବସ୍ତୁଗଣ ଯାହା ଏ ସଂସାରେ

 

ରଚନ୍ତି କି ତୋଷେ ବିଧି ବସି ଏହିଠାରେ

।୩୯।

ଅବଶେଷ ଉପାଦାନ ଏଥି ଅଛି ତେଣୁ

 

ଦର୍ଶନେ ନୟନ ମନ ହରଇ ଏ ଯେଣୁ

।୪୦।

ବିବିଧ ବିଟପଚ୍ଛନ୍ନ ତୀରେ ସେତୁରେଖା

 

ବିଷ୍ଣୁପଦେ ଛାୟାପଥ ତୁଲ୍ୟ ଯାଏ ଦେଖା

।୪୧।

ଧୀରେ ଧୀରେ ଆସି ତହୁଁ ମାରୁତ ହିଲ୍ଲୋଳ

 

କଉଶଳେ ସୃଜୁଅଛି ସଲିଳ କଲ୍ଲୋଳ

।୪୨।

ନ୍ୟଗ୍ରୋଧ ପିପ୍ପଲ ଆଦି ପାଦପ ନିକର

 

ପ୍ରତିବିମ୍ବ ସୁଚଞ୍ଚଳ ଦିଶେ କି ସୁନ୍ଦର

।୪୩।

ଦେଖାଉଛି କି ପାତାଳ ସୋପାନ ଆବଳୀ

 

ତେଣୁ ନୁହେ ନିଶ୍ଚେ ତବ ଗମ୍ଭୀରତା କଳି

।୪୪।

ସେତୁ ପାପଦଙ୍କ କ୍ରୋଟେ ଶୁକଶୁକୀଗଣ

 

ହରୁଛନ୍ତି ଶିଶୁ ସହ ମୋଦେ ଅହର୍ଗଣ

।୪୫।

ଶାଖା ଶିଖାପରେ ବସି ବାଳପକ୍ଷୀଚୟ

 

ସରସୀ ଦର୍ଶନେ ହୃଦେ ଆନନ୍ଦ ଉଦୟ-

୪୬।

ହୋଇବାରୁ କଳଗୀତ ଛଳେ ଅବିରତ

 

ଗାଆନ୍ତି କାଦମ୍ବବଂଶ କୀରତି ନିୟତ

।୪୭।

ପକ୍ତ୍ରିମ ନ୍ୟଗ୍ରୋଧ ଫଳ ଭୋଜନ ଲାଳସି-

 

ଅରିଷ୍ଟ ନିକର ତୋଷେ ବଟଡାଳେ ବସି

।୪୮।

କରନ୍ତି କ୍ରୀଡ଼ନ ଗତି ବିବିଧ ପ୍ରକାରେ

 

ସେହି ଦୃଶ୍ୟ ମନୋହର ବିଶାଳ ସଂସାରେ

।୪୯।

(ଗାରୁତ୍ମତ ରତ୍ନମୟ ମହୀରୁହେ ବିଧି

 

ଫଳିଛି ପ୍ରବାଳ ଫଳ ରମ୍ୟତା ବାରିଧି

।୫୦।

ନୀଳମଣିମୟ ପକ୍ଷୀ ବିଜଡ଼ିତ ତହିଁ,)

 

ଏହିପରି ଦର୍ଶକଙ୍କ ମନେ ଆଭାସଇ

।୫୧।

ଚାରିଆଡ଼େ ବିଶୋଭଇ ପୀଳୂବନ ଧରା

 

ପବିତ୍ରତା ଭାବି ଯାର ପ୍ରୟତ ପସରା-

୫୨।

ଆଶୁତୋଷ ରହିଛନ୍ତି ବିରଚି ନିଳୟ

 

ଲଭନ୍ତି ସନ୍ତତ ଯହିଁ ମନୁଜ ବିଲୟ

।୫୩।

ତ୍ରିଦିବ ସୋପାନମାର୍ଗ ଦେହଳୀର ମତ

 

ବିଦିତ ଯେ ଏ ଭୁବନ ମଣ୍ଡଳେ ନିରତ

।୫୪।

ମାନବଦୁର୍ଲ୍ଲଭ ଶୁଦ୍ଧ ବୈରାଗ୍ୟ-ରତନ

 

ଦରଶକେ କରଇ ଯେ ସଦା ବିତରଣ

।୫୫।

ସଂସାରର ଅନିତ୍ୟତା କିବା ନଶ୍ୱରତା

 

ଦର୍ଶାଇବା ପାଇଁ ସିଦ୍ଧ ତାପସ ଜନତା

।୫୬।

ଯଦୀୟ ନିର୍ମଳରେଣୁ ସଞ୍ଚୟ ଶରୀରେ

 

ବୋଳି ହୋଇ ବସିଥାନ୍ତି ଯୋଗାସନେ ଧୀରେ

।୫୭।

ଭୀରୁଜନ ଭୀତିପଦ, ଜ୍ଞାନୀ ମୁକ୍ତିଦ୍ୱାର

 

ଶ୍ମଶାନ ନିଚୟ ରାଜେ ପାରୁଷେ ଯାହାର

।୫୮।

ସେ ଅମଳ ସରୋବର ବିଶୁଦ୍ଧତା ଗୁଣ

 

କେ ବର୍ଣ୍ଣି ପାରିବ ଜନ୍ମି ଧରାତଳେ ପୁଣ

।୫୯।

ସୁବିଶାଳ ବକ୍ଷଃସ୍ଥଳେ କ୍ଷୁଦ୍ର ପରବତ

 

ଦରଶନେ ହୁଏ ଜାତ ମନେ ଏହି ମତ

। ୬୦।

ପଦ୍ମାଳୟା ବାସ ଭୂମି ଶତଦଳକୁଳ

 

ଦେଖି ହୃଦେ ନାରାୟଣ ବିଜେ ଜଗନ୍ମୂଳ

।୬୧।

ପବିତ୍ର କାଦମ୍ବଗୋତ୍ର-ଅବ୍ଜ ଦିନମଣି

 

ପାରଳା ସାମନ୍ତ (୧) ସେନାପତି ଜେନାମଣି

।୬୨।

ଦିନମଣି ପରିସାଦୁଁ ଲଭିଥିଲେ ସୁତ

 

ଶ୍ରୀପୁରୁଷୋତ୍ତମ ଦେବ ନାମେ ସେ ବିଶ୍ରୁତ

।୬୩।

କାଳେ ପାରଳାଈଶ୍ୱର ଜୟରୁଦ୍ର ନୃପ-

 

ଅନୁଗ୍ରହେ ବୋଲାଇଲେ ଟିକିଲିରେ ଭୂପ

।୬୪।

ପୁରୁଣା ଟିକିଲି ଥିଲା ଯାଙ୍କ ରାଜଧାନୀ(୨)

 

ସେ ଥିଲେ ତଦାନୀନ୍ତନ ସେନାଙ୍କ ସେନାନୀ

।୬୫।

 

(୧)

କାଦମ୍ବବଂଶୀୟ ଜଣେ ବ୍ୟକ୍ତି ପୂର୍ବେ ପାରଳାଖେମୁଣ୍ଡି ଅଧୀଶ୍ୱରଙ୍କ ସାମନ୍ତ ସେନାରେ ସେନାପତି ଥିଲେ ।

(୨)

ଅଦ୍ୟାପି ପୁରୁଣା ଟିକିଲି ଗଡ଼ର ଭଗ୍ନାଂଶ (ଚିହ୍ନ) ମାନ ଲକ୍ଷିତ ହୁଏ ।

 

 

ତେଲଙ୍ଗା ବିଜୟ(୧) ପରେ ମ୍ଳେଚ୍ଛ ଏରାଗଣ(୨)

 

ବିନାଶନେ ଦୃଢ଼ଦୀକ୍ଷା କରିଣ ଧାରଣ

୬୬

ବିରଚି ପଥରଗଡ଼(୩) ସୀମା ପ୍ରଦେଶରେ

 

ବଇରି ସଂହରି ଦେଇ ହେଳାରେ ସେ ଥରେ

୬୭

 

(୧)

ଟିକିଲିର ଦକ୍ଷିଣାଂଶରେ (କାଦମ୍ବବଂଶୀୟଙ୍କ ପୂର୍ବେ) ତେଲଙ୍ଗାମାନେ ରାଜତ୍ୱ କରିଥିଲେ ।

(୨)

ଟିକିଲିର ଉତ୍ତରାଂଶରେ (କାଦମ୍ବବଂଶୀୟଙ୍କପୂର୍ବେ ଏରା ନାମକ ଜାତି ରାଜତ୍ୱ କରୁଥିଲେ ।

(୩)

ଅଦ୍ୟାପି ପଥରଗଡ଼ର ଭଗ୍ନାଂଶ ବିଦ୍ୟମାନ ଅଛି ।

 

ଟିକିଲି ଉତ୍ତର ସୀମା ତିନିକ୍ରୋଶ ଯାଏ

 

ବୃଦ୍ଧିକରି ପକାଇଲେ ହୃଷ୍ଟପୁଷ୍ଟ କାୟେ

୬୮

ସରୋବର ଯୋଗ୍ୟ ଦେଖି ସେହି ବୀରବର

 

ସ୍ୱନାମ ନିତ୍ୟତା ଇଛି ରଚିଲେ ଏ ସର

୬୯

ଅଦ୍ୟାପି ଉଦ୍ଘୋଷୁଅଛି ସର ଯାହାନାମ

 

ଅକ୍ଷୟ କୀରତି ଯାର ସରୋବର ଧାମ

୭୦

ତଦୀୟ ନିର୍ମଳ ବଂଶେ କେତେକାଳ ପରେ

 

ଦ୍ୱିତୀୟ ଶ୍ରୀରଘୁନାଥ ଜନ୍ମି ଦେବବରେ ।(୧)

୭୧

ସରସୀ ଗୁରୁତା ଦେଖି ଅତି ହରଷରେ

 

ଚିନ୍ତାମଣି(୨) ତେଜି ଏହି ତୀର ପ୍ରଦେଶରେ

୭୨

 

(୧)

ଦ୍ୱିତୀୟ ରଘୁନାଥ ଜଗଦ୍ଦେବ ।

(୨)

ଦ୍ୱିତୀୟ ରଘୁନାଥ ଦେବ ଚିନ୍ତାମଣିଗଡ଼ ପରିତ୍ୟାଗ କରି ଟିକିଲିରେ ଦୁର୍ଗ ନିର୍ମାଣିଥିଲେ । ଅଦ୍ୟାପି ଚିନ୍ତାମଣିଗଡ଼ ଓ ଟିକିଲି ଗଡ଼ର ଭଗ୍ନାଂଶ ବିଦ୍ୟମାନ ଅଛି ।

 

ଦକ୍ଷିଣେ ବିରଚି ରମ୍ୟ ବିଶାଳ ନବର

 

ବାସ କଲେ ସୁଖେ ତହିଁ ସେହି ନରବର

୭୩

କାଦମ୍ବ କୀରତି-ରତ୍ନାକର ପ୍ରାଚୀ ଦିଶେ

 

‘‘ରଘୁନାଥପୁର’’ ନାମ ଶାସନ କରି ସେ

୭୪

ରଖାଇଲେ ନିଯୋଗିକ ନିଜ ବ୍ରାହ୍ମଣଙ୍କୁ

 

ଉଦ୍ଧରିଲେ ନିଜ ଆତ୍ମା ଭବମୟ ପଙ୍କୁ

୭୫

ଦଳ ଜଳ ଶୋଭା ପୁଷ୍ଟି କରେ ଅପ୍ରମିତ

 

ଯେଣୁ ସେ ନୈର୍ମଲ୍ୟକାରୀ ଜଗତେ ବିଦିତ

୭୬

ଗଙ୍ଗବଂଶ-ଗଗନର ସୁଧାକର ସମ

 

ଗଜପତି(୧) ପଦ୍ମନାଭ ବୀର ଅନୁପମ

୭୭

ଯାହାର ସୁଷମା ରାଶି ବଶୀଭୂତ ହୋଇ

 

ଜଗନ୍ନାଥ ଦେବାଳୟେ(୨) ମନଧ୍ୟାନ ଥୋଇ

୭୮

କରିଥିଲେ ଟିକିଲିରେ ରାଜ୍ୟାଭିଷେଚନ

 

ଅଦ୍ୟାପି ସେ କଥା ଜନେ କରନ୍ତି ସ୍ମରଣ

୭୯

 

 

 

 

ବଘେଲ ବଂଶ ମଣ୍ଡନ ନୃପତି ଶେଖର

 

ବୃନ୍ଦାବନ ଚନ୍ଦ୍ର ଜଗଦ୍ଦେବ(୩) ବିରବର

୮୦

 

(୧)

କାଦମ୍ବ ବଂଶୀୟଙ୍କ ପରେ ଗଙ୍ଗବଂଶୀୟ ‘‘ପଦ୍ମନାଭଦେବ’’ ଟିକିଲିରେ ରାଜତ୍ୱ କରିଥିଲେ ।

(୨)

ଜଗନ୍ନାଥ ଦେବାଳୟ ଏହି ସରୋବରର ତୀରରେ ବିଦ୍ୟମାନ ।

(୩)

ସ୍ୱର୍ଗୀୟ ଟିକିଲି ଅଧୀଶ୍ୱରଙ୍କ ନାମ ।

 

ଯାହାର ଅତୁଳ ଶୋଭା ପୃଷ୍ଟି ମାନସରେ

 

ଈଶାନରେ ବିରଚିଲେ ଆରାମ ପ୍ରବରେ

୮୧

ଇଚ୍ଛି ନିଜ ପିତୃଦେବ(୧) ସ୍ମୃତି ଚିହ୍ନସାର

 

ନାମ ଦେଲେ ଚଇତନ୍ୟ କାନନ ତାହାର

୮୨

 

(୧)

ଏହାଙ୍କ ପିତାଙ୍କ ନାମ ଚଇତନ୍ୟଚନ୍ଦ୍ର ।

 

କୃଷ୍ଣପକ୍ଷ ରଜନୀରେ ଏ ସର ଚୌଦିଶେ

 

ଡାହାଣି ପାବକ ଜ୍ୱାଳା ଠାବେ ଠାବେ ଦିଶେ

୮୩

ଗ୍ରହତାରା ଅଳଙ୍କୃତ ଗଗନ ଅଙ୍ଗନ

 

ପ୍ରତିବିମ୍ବ ଦେଖାଯାଏ ଅତୀବ ଶୋଭନ

୮୪

ମଞ୍ଜୁଳ ହିଞ୍ଜଳଦ୍ରୁମ ହୋଇ କୁସୁମିତ

 

ଧରିଚି ଅପୂର୍ବ ଶୋଭା ନ ହେବ ବର୍ଣ୍ଣିତ

୮୫

ମନୋହର ପୁଷ୍ପରାଶି କରଇ ବର୍ଷଣ

 

ଯାହା ଶୋଭା ସନ୍ଦର୍ଶନେ ହୃଷ୍ଟ ହୁଏ ମନ

୮୬

ତଟର ନିକଟେ ପଡ଼ି ସେ ପୁଷ୍ପପଟଳ

 

କରୁଛି ଜଳକୁ ପୁଣି ପାତଳ ପାଟଳ

୮୭।

କିଣିଛି କି ଅବା ସର ବିଚିତ୍ର ବସନ

 

ପ୍ରକୃତି ଅର୍ଚ୍ଚନବେଳେ କରିବ ଅର୍ପଣ

୮୮

ପୁତ୍ର ପତ୍ନୀ ଏହି ସ୍ଥାନେ କରି ସନ୍ଦର୍ଶନ

 

ତୀରେ ବିଜେ ଜଗନ୍ନାଥ କମଳାରମଣ

୮୯

ଭକ୍ତକୁଳ ଶିଖାମଣି ଅଞ୍ଜନା ନନ୍ଦନ

 

ମହାଯୋଗୀ ବିଶ୍ୱନାଥ ହୋଇ ତୁଷ୍ଟମନ

୯୦

ତଟସେତୁ ଶୋଭାମାନ ପ୍ରାସାଦନିକରେ

 

ବିଜେହୋଇ ସୁପୂଜିତ ଭକ୍ତଗଣ କରେ

୯୧

ତୀରେ ରାଜେ ଗିରିବର ଉନ୍ନତ ବିଶାଳ

 

ଯହିଁ ଶୋଭେ ବହୁବିଧ ବୃକ୍ଷ ମାଳ ମାଳ

୯୨

ଗିରିପାଦେ ବିଲୁଠିତ ସରଃ ସନ୍ଦର୍ଶନେ

 

ଅପୂର୍ବ ଭାବନା ପୁଣି ଜନମଇ ମନେ

୯୩

ଅଷ୍ଟମୂର୍ତ୍ତି ଶମ୍ଭୂ କିବା ହୋଇ ଜଳାତ୍ମକ

 

ହୋଇଛନ୍ତି ଗୌରୀ ଗୁରୁ ଚରଣ ସେବକ

୯୪

 

 

 

 

ଫୁଟିଛି ଯା ଅଗଣିତ କୁମୁଦ କମଳ

 

ଗିରୀନ୍ଦ୍ର ପୂଜନେ ତାହା ଦୁର୍ଲ୍ଲଭ ସମ୍ବଳ

୯୫

‘‘ଅନୁପମ ସରୋବର ସୁଷମା ଦର୍ଶନ-

 

ସୁବିଧା ବିଧାନ ଏବେ ଲଭି ଦେବଗଣ

୯୬

କରନ୍ତୁ ପରମ ସୁଖ ସମ୍ପଦ ସଞ୍ଚୟ

 

ଦେବତ୍ୱ କେବଳ ଯେଣୁ ସୁଖାନନ୍ଦମୟ’’

୯୭।

ଏହା ଭାବି ପରମେଷ୍ଠୀ କିବା ମନେ ମନେ

 

ରଚିଛନ୍ତି ତଟଦେଶେ ଉନ୍ନତ ଆସନେ

୯୮

ଜାଣିଲି ପୁରାଣ ଗିରିବର ଏ ନିଶ୍ଚୟ

 

ଛିନ୍ନକଲେ ପକ୍ଷଦ୍ୱୟ ଯେବେ ହରିହୟ

୯୯

ତ୍ରୈଲୋକ୍ୟ ଶରଣ୍ୟ ପଦ ସମୀପେ ଶରଣ-

 

ପଶି ରକ୍ଷା କରିବାକୁ ସ୍ୱକୀୟ ଜୀବନ

୧୦୦

ଭାବି ଭାବି ଅନ୍ୱେଷିଲା ବହୁକାଳ ଯାଏ

 

ଭ୍ରମିଲା ଜଗତମଧ୍ୟେ ଦୁଃଖ ସହି କାୟେ

୧୦୧

ହ୍ରାସ ହେଲା ଯେତେବେଳେ ଗମନ ଶକତି

 

ଆରମ୍ଭିଲା ଘୋରତପ ଏଥି ହୋଇ ଯତି

୧୦୨

ଚାହିଁ ମହାସରଣୀକୁ ଅଗାଧ ସାଗର

 

ବିରଚିଲା ନିଶ୍ଚେ ଏହା ବରୁଣଙ୍କ ଘର

୧୦୩

 

 

 

 

ଦେଖିଲା ବିରଚି ତହିଁ ତାମରସ ବନ

 

ବିଚାରିଲା ତେଣୁ ତାହା କମଳା ସଦନ

୧୦୪

ଶୁଣିଲା ହେଉଛି ତହିଁ ଭ୍ରମର ଗୁଞ୍ଜନ

 

ମଣିଲା ତା ଭାରତୀଙ୍କ ବଲ୍ଲକୀ ନିକ୍ୱଣ

୧୦୫

କେଶବ ଅଛନ୍ତି ଏଥି ବୋଲି ଆଶା ବହି

 

ତପୋରତ ହୋଇଅଛି ବର୍ଷାତପ ସହି

୧୦୬

ତେଣୁ ଗିରିପାଦେ ରାଜେ ତାପସ ଆସନ

 

ଦର୍ଶନ ମାତ୍ରକେ ହୁଏ ପୂତତର ମନ

୧୦୭

ପ୍ରାୟତ ଭାବନା କରି ସିନା ସିଦ୍ଧଯୋଗୀ-

 

ମୋହନ ଦାସ ହୋଇଲେ ତହିଁତପୋଭୋଗୀ

୧୦୮

ତୀରସ୍ଥ ବ୍ରାହ୍ମଣ ବୀଥୀ ଦ୍ୱୟ କି ଶୋଭନ

 

ଯହିଁ ହେଉଥାଏ ସଦା ପୁରାଣ ପଠନ

୧୦୯

ସୁଧାଲିପ୍ତ ସମୁନ୍ନତ ଧନିକ-ନିଳୟ

 

ଯହିଁ, ଛନ୍ତି ବେଦବିଦ-ବ୍ରାହ୍ମଣ ନିଚୟ

୧୧୦

ମନୋହର ନଟୀକାଳ ମହୀରୁହରାଜି

 

ବହୁଫଳେ ଉଭା ହୋଇଛନ୍ତି ବେଶ ସାଜି

୧୧୧

ଲଳିତ ମାଧବଦେବ କରୁଣା ସାଗର

 

ଯହିଁ ସମ୍ପୂଜିତ ମାତ୍ରେ ଅରପନ୍ତି ବର

୧୧୨

 

 

 

 

ଶ୍ରୀ ଗୋପାଳ ଗୋପୀନାଥ ନାମେ ଦେବଦ୍ୱୟ

 

ବିଜେକରି ତୋଷୁଛନ୍ତି ଦର୍ଶକ ହୃଦୟ

୧୧୩

ଗ୍ରୀଷମେ ଚନ୍ଦନଯାତ୍ରା ଅର୍ଥେ କରି ବିଜେ

 

ଆରମ୍ଭନ୍ତି ନାବକେଳି ସରେ ସରସିଜେ

୧୧୪

ରମଣୀୟ ଚାପପରେ ନର୍ତ୍ତକୀ ନର୍ତ୍ତନ

 

ଦରଶନେ ପରସନ୍ନ ବରଜ-ମୋହନ

୧୧୫

ଯାହା ତୀରେ ବିଶ୍ୱବନ୍ଦ୍ୟ ଦେବ ଜଗନ୍ନାଥ

 

କରିଥାନ୍ତି ଦର୍ଶନୀୟ ରଥୋତ୍ସବ ଯାତ

୧୧୬

ପତିତପାବନ ନାମ ସମୁଦିତ ବିଶ୍ୱେ

 

ପ୍ରଚାରିବା ପରି ତାହା ଜନନେତ୍ରେ ଦିଶେ

୧୧୭

ପବିତ୍ର ଭୂଦେବ ଗୃହରାଜି ବିରାଜିତ

 

ତୀର ଏକଦେଶ ନାନା ଦୃଶ୍ୟ ବିଶୋଭିତ

୧୧୮

(୧) ଶସ୍ୟ ଶ୍ୟାମଳିତା ଧରା କେଡ଼େ ମନୋହର

 

ଦରଶନ ମାତ୍ରେ ଚିତ୍ତେ ଜନ୍ମେ ଏ ଉତ୍ତର

୧୧୯

ପ୍ରକୃତି ଅର୍ଚ୍ଚନା ପାଇଁ ଶରଦ-ଅଙ୍ଗନା

 

ଶରତ୍କାଳେ ଶ୍ୟାମଶାଟୀ କରି ପ୍ରକ୍ଷାଳନା

୧୨୦

ଆଜି କିବା ତୀର ଭୂରେ ରଖିଚି ଶୁଖାଇ

 

ନଷ୍ଟ ହେଲେ ଆରଦ୍ରତା ପିନ୍ଧିବାର ପାଇଁ

୧୨୧

 

 

 

 

ମହାଦ୍ରୁମନୀଡ଼ କ୍ରୋଡ଼େ ସୁଖେ ବସି ଘୂକ

 

ହୂଂକାର ଶବଦେ ହେଉଅଛି ବାବଦୂକ

୧୨୨

କି ହେଉଛି ଉପକାର ନିଜର, ଯା’ପରେ

 

ଚମକାଏ, ଜନମାଏଁ ଭୀତି ହୃଦୟରେ

୧୨୩

ଦୁର୍ଜନତା ଅପବାଦ ଲଭଇ ମାତର

 

ସାଧୁତା ସମୁପାର୍ଜନ ସିନା କଷ୍ଟକର

୧୨୪

କର୍ତ୍ତାଙ୍କ ହୃଦୟ ପରି ହୋଇଛି ନିର୍ମଳ

 

ସରୋବର ! ତବ ସ୍ୱାଦୁ ଶୁଦ୍ଧ ପୂତଜଳ

୧୨୫

‘‘ସଲିଳ କୀରତି ହୁଏ କର୍ତ୍ତା ଚିତ୍ତସରି’’

 

କିମ୍ବଦନ୍ତୀ ସୁବିଦିତ ଜଗତେ ଏପରି

୧୨୬

 

(୧)

ସେତୁ ତୀରଦେଶରେ କେଦାରରାଜି ବିଦ୍ୟମାନ ।

Image